ଭୁବନେଶ୍ୱର : ରଦ୍ଦ ହେବ ନାହିଁ ବିଜେଡିରୁ ନିଲମ୍ବିତ ୮ ବିଧାୟକଙ୍କ ସଦସ୍ୟ ପଦ । ବାଚସ୍ପତି ସୁରମା ପାଢ଼ୀ ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କରିଛନ୍ତି। ଦଳୀୟ ହୁଇପ ଅମାନ୍ୟ, ସର୍ବସାଧାରଣରେ ଦଳ ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ୮ ଜଣ ବିଧାୟକଙ୍କ ପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ବିଜେଡ଼ି ପିଟିସନ ଦାୟର କରିଥିଲା । ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଥିଲେ।
ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ବିଧାୟକ, ଦଳର ନିଷ୍ପତ୍ତି ନ ମାନି କ୍ରସ ଭୋଟିଂ କରିଥିଲେ। ସେମାନେ ହେଲେ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ। ଏମାନଙ୍କ ପୂର୍ବରୁ ବିଜେଡି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିଥିଲା। ଏହି ଦୁଇ ଜଣ ବି ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତି ବିରୋଧରେ ଭୋଟ୍ ଦେଇଥିଲେ। ସମୁଦାୟ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କ ଦ୍ବାରସ୍ଥ ହୋଇଥିଲା।
