ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଛକରେ ଥିବା ବସ୍ ଷ୍ଟପ୍ର ଦୟନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସାମାଜିକ କର୍ମୀ ସୁନିଲ କୁମାର ମାଟିଆ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହି ବସ ଷ୍ଟପଟି ନାଉଗାଁ ମେଡିକାଲ୍, ତହସିଲ୍ କାର୍ଯ୍ୟାଳୟ, ବ୍ଲକ ଅଫିସ୍, ଶିଶୁ ମଙ୍ଗଳ କାର୍ଯ୍ୟାଳୟ , ପଶୁ ଚିକିତ୍ସାଳୟ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟକୁ ଯିବାର ରାସ୍ତାରେ ପଡିଥାଏ। ସେଠାରେ ଥିବା ବସ୍ ଷ୍ଟପ୍ର ପରିସ୍ଥିତି ଅତ୍ୟନ୍ତ ଦୁର୍ଦ୍ଦଶାପୂର୍ଣ୍ଣ ହୋଇଥିବାରୁ ଲୋକେ ଏହାକୁ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବସ୍ ଷ୍ଟପ୍ର ପିଲାର ଗିଡିକ ଦୁର୍ବଳ ସାଙ୍ଗକୁ ଛାତ ମଧ୍ୟ ସ୍ଥାନେ ସ୍ଥାନେ ଭାଙ୍ଗି ଯାଇଛି। ସେହିପରି ପ୍ଲାଷ୍ଟର ମଧ୍ୟ ଖସିପଡ଼ୁଛି। ସ୍ବଚ୍ଛତାର ଅଭାବ ଓ ବସିବା ପାଇଁ ଉପଯୁକ୍ତ ନ ଥିବାରୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରତିଦିନ ଏହି ସ୍ଥାନରେ ଦୀର୍ଘ ସମୟ ଧରି ବସକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଥିବାରୁ ଏପରି ସ୍ଥାନକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ଖୁବଶୀଘ୍ର ବସ୍ ଷ୍ଟପ୍ର ପୁନରୁଦ୍ଧାର କିମ୍ବା ନୂତନ ଆଧୁନିକ ବସ୍ ଷ୍ଟପ୍ ସହିତ ଶୌଚାଳୟ ନିର୍ମାଣ ପାଇଁ ସମାଜିକକର୍ମୀ ମାଟିଆ ପ୍ରଶାସନ ନିକଟରେ ଦାବି କରିଛନ୍ତି।
