ଭୁବନେଶ୍ବର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ ଘୋଷଣା କରିଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ କରାଯାଇଛି । ରାଜ୍ୟସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ବାର୍ଷିକ ବ୍ୟୟବରାଦ ମାତ୍ର ୮୩୮ କୋଟି ଟଙ୍କା ଥିବାବେଳେ, ଏବେ ଏହା ପ୍ରାୟ ୧୩ ଗୁଣା ବୃଦ୍ଧି ପାଇଛି । ୧ ଏପ୍ରିଲ ୨୦୨୫ ସୁଦ୍ଧା ରାଜ୍ୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୦ଟି ଦୋହରୀକରଣ କାର୍ଯ୍ୟକୁ ମଞ୍ଜୁରୀ ମିଳିଥିବା ମନ୍ତ୍ରୀ କହିଛନ୍ତି ।
ସେହିପରି ରାଜ୍ୟର ଅତି ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୫୦୮୯ କୋଟି ଟଙ୍କା ରହିଛି । ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ଅତିରିକ୍ତ ୧୯୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ।
