ଭୁବନେଶ୍ୱର: ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେ଼ମୀରେ ଅନୁଷ୍ଠିତ ୮ମ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୨ତମ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହା କହିଛନ୍ତି।
ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ ଏକାଡେ଼ମୀ ପଡିଆରେ ସମ୍ମିଳିତ ପାସିଙ୍ଗ ଆଉଟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୭୧ ଜଣ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶମାନଙ୍କ ମଧ୍ୟରୁ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଶିକ୍ଷାନବୀଶମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।
ମୁଖ୍ୟମନ୍ତ୍ରୀ ଶିକ୍ଷାନବୀଶମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଆଜି ଠାରୁ ଆପଣମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମ ସରକାର ଶପଥ ନେଇଛନ୍ତି, ସେ ଦିଗରେ ଆପଣମାନେ ମୁଖ୍ୟ ଭୂମିକା ତୁଲାଇବେ। ଏହି ଦାୟିତ୍ଵରେ ଆଜିଠାରୁ ଆପଣମାନେ ସମସ୍ତେ ସାମିଲ ହେଲେ।
ଆଗାମୀ ଦିନରେ ଦୈନନ୍ଦିନ କାର୍ଯ୍ୟରେ ସାଧାରଣ ଜନତାଙ୍କୁ ଉତ୍ତମ ସେବା, ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନର ଦକ୍ଷତା, ନ୍ୟାୟ ପ୍ରଦାନ, ଜନତାଙ୍କ ସୁରକ୍ଷା, ଆଇନ୍ ଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ମାଓବାଦୀ ଦମନ ଇତ୍ୟାଦି କ୍ଷେତ୍ରରେ ଆପଣମାନେ ପୁଲିସ ବାହିନୀର ନେତୃତ୍ଵ ନେବେ । ଆଜିଠାରୁ, ଆପଣମାନେ କଠିନରୁ କଠିନ ଆହ୍ଵାନଗୁଡିକ ପାଇଁ ପ୍ରସ୍ତୁତ ହେବା ଉଚିତ୍। ମୁଁ ଦୃଢ ନିଶ୍ଚିତ ଯେ, ଆପଣମାନଙ୍କ ଦକ୍ଷତା, ବିଶେଷ ଭାବରେ ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୁଲିସକୁ ଆହୁରି ଶକ୍ତିଶାଳୀ କରିବ ଏବଂ ସାଇବର ଅପରାଧର ମୂଳୋତ୍ପାଟନ କରିବାରେ ସକ୍ଷମ ହେବ।
ପୁଲିସର ଆଧୂନିକୀକରଣ ଓ ପୁଲିସ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ପୁଲିସ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଆମ ସରକାର ଅବଗତ ଅଛନ୍ତି । ପୁଲିସ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ ଆମ ସରକାର ଯତ୍ନବାନ ରହିବେ । ଲୋକବଳ ଅଭାବରୁ ପୋଲିସ ଚାପଗ୍ରସ୍ତ ରହୁଥିବାରୁ ତାକୁ ଦୂର କରିବାପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ । ପୁଲିସ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଆଗାମୀ ଦିନରେ ତାଲିମ ଭିତ୍ତିଭୂମି ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯିବ ।
ପୁଲିସ ସେବାରେ ବିଭିନ୍ନ ଜିଲ୍ଲାରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ସମସ୍ତ ପଦ ପଦବୀ ଗୁଡିକୁ ପୂର୍ଣ୍ଣ କରିବା ପାଇଁ ଆମ ସରକାର ଚେଷ୍ଟିତ ଅଛନ୍ତି ଏବଂ ନୂତନ ପଦବୀ ସୃଷ୍ଟି କରିବାକୁ ମଧ୍ୟ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଆମ ପୁଲିସ ସେବାକୁ ଆହୁରି ଯୁଗୋପଯୋଗୀ ଓ ଦୃଢ ହେବାକୁ ପଡିବ ଏଣୁ ପ୍ରତ୍ୟେକ ଆରକ୍ଷୀ ଉପ-ନିରୀକ୍ଷକମାନଙ୍କୁ ମୋଟର ସାଇକେଲ, ଲାପଟପ, ମୋବାଇଲ ଫୋନ ଓ ପେନଡ୍ରାଇଭ ଯୋଗାଇ ଦିଆଯିବ ଏବଂ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ।