ଭୁବନେଶ୍ବର: ସରିଲା ରୁକୁଣା ରଥଯାତ୍ରା । ଆଜି ଶୁକ୍ରବାର ରାତି ୭.୧୫ ମିନିଟ୍ ସମୟରେ ପହଞ୍ଚିଲା ରଥ । ଚାରମାଳ ଲାଗି ହେବା ପରେ ଭେଟ ଆଳତି କରାଯିବ । ନିୟମ ଅନୁସାରେ ଆଜି ରାମ ନବମୀ ଅବସରରେ ଲିଙ୍ଗରାଜ ମହାପ୍ରଭୁ ରାମଚନ୍ଦ୍ରଙ୍କୁ ଭେଟିବାର ନିୟମ ରହିଥିଲା । ତେଣୁ ସୂର୍ଯ୍ୟାସ୍ତର ୪୫ ମିନିଟ୍ ପରେ ମଧ୍ୟ ରଥ ଟଣା ଯାଇ ମାଉସୀ ମା’ ମନ୍ଦିର ପାଖକୁ ଆଣାଯାଇଥିଲା ।
ଗତକାଲି ପବିତ୍ର ଅଶୋକାଷ୍ଟମୀ ଅବସରରେ ରୁକୁଣା ରଥ ଯାତ୍ରାରେ ମାଉସୀ ମା’ ଘରକୁ ଆଗମନ କରିଥିଲେ ମହାପ୍ରଭୁ ଲିଙ୍ଗରାଜ । ରଥ ଯାତ୍ରାର ନୀତିକାନ୍ତି ଓ ସ୍ୱତନ୍ତ୍ର ପୂଜା ନୀତି ପରେ ୩ଟା ୪୫ ମିନିଟରେ ରୁକୁଣା ରଥ ଗଡିଥିଲା । ରଥଟଣା ସମୟରେ ଅନେକ ବାଧାବିଘ୍ନ ଦେଖା ଯାଇଥିଲା । ପ୍ରଥମେ ଭୋଇ ସେବାୟତ ରଥରୁ ପଡିଯିବା ବା ଗଳିପଡ଼ିବା ପରେ ବେଶ ନୀତି ମାରା ହେବାକୁ ନେଇ ନୀତି ୧ ଘଣ୍ଟା ବିଲମ୍ବ ହୋଇଥିଲା । ଏହାସହ ରଥ ଦୌଡ଼ି ଛିଡ଼ିବା, ଦୋକାନ ଓ ଡ୍ରେନ ଉପରେ ରଥ ଚଢ଼ିଯିବା ଭଳି ଅଘଟଣ ଏଥର ରଥ ଯାତ୍ରାରେ ଦେଖିବାକୁ ମିଲିଥିଲା । ଅନେକ ଦୁର୍ଘଟଣା ଘଟିଥିଲେ ମଧ୍ୟ ଗଡିଥିଲା ରଥ । ଅନ୍ୟପଟେ ରଥ ଅଟକିବା ପରେ ଶ୍ରଦ୍ଧାଳୁମାନେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ କରିଥିବା ବେଳେ ପୁଣି ଆଜି ଅପରାହ୍ନ ୨ଟାରୁ ଗଡ଼ିଥିଲା ରଥ । ପୁଣି ଭକ୍ତଙ୍କ ଗହଣରେ ଯାଇ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ ବାବା ଲିଙ୍ଗରାଜ ।
